ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ଅନୁଷ୍ଠିତ ସଂଘ ଶିକ୍ଷାବର୍ଗ ଦ୍ୱିତୀୟ ବର୍ଷ ଉଦ୍‌ଯାପିତ





ଭୁବନେଶ୍ୱର,୦୪ା.୦୬: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ଦୀର୍ଘ ୨୦ ଦିନ ଧରି ମେ ୧୫ ତାରିଖରୁ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥିବା  ଦ୍ୱିତୀୟ ବର୍ଷ ସଂଘ ଶିକ୍ଷାବର୍ଗ ଶନିବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ଶିକ୍ଷାର୍ଥୀମାନେ ପ୍ରଶିକ୍ଷଣ ନେଇଥିବା ଯୋଗ, ଆସନ,ସାମୁହିକ ସୂର୍ଯ୍ୟନମସ୍କାର, ଦଣ୍ଡ ଆଦି ବିଭିନ୍ନ କଳାକୌଶଳ, ପ୍ରଦର୍ଶନ କରିଥିଲେ । 

ଏହି ଉଦ୍‌ଯପାନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ,ସ୍ନାତକୋତର ଧର୍ମଶାସ୍ତ୍ର ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ପ୍ରଫେସର ବ୍ରଜ କିଶୋର ସ୍ୱାଇଁ କହିଲେ ଯେ,ଆରଏସ୍‌ଏସ୍‌ର ଏହି କାର୍ଯ୍ୟକ୍ରମକୁ ଆସି ଏକ ଆନୁଷ୍ଠାନିକ ଶୃଙ୍ଖଳାର ନିଦର୍ଶନ ପାଇଲି । ବ୍ୟକ୍ତିଗତ ଜୀବନର ଶୃଙ୍ଖଳାକୁ ଆନୁଷ୍ଠାନିକ ଶୃଙ୍ଖଳାରେ ରୁପାନ୍ତରିତ କରିବା ଆରଏସ୍‌ଏସ୍ ର ଏକ ନୀତିଗତ କାର୍ଯ୍ୟ । ଭାରତ ବର୍ଷରେ ବ୍ୟକ୍ତିଗତ ଶୃଙ୍ଖଳା ନୈରାଶ୍ୟ ଦର୍ଶନ ହୋଇଥିବାରୁ ଏହା ଆନୁଷ୍ଠାନିକ ଶୃଙ୍ଖଳାକୁ ପ୍ରଭାବିତ କରୁଛି । ଏକରେ ଆନୁଷ୍ଠାନିକ ଶୃଙ୍ଖଳା ବ୍ୟାହାତ ହେଉଛି । କିନ୍ତୁ ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଏକ ବ୍ୟତିକ୍ରମ । ଏଥିରେ ବ୍ୟକ୍ତିଗତ ଓ ସାମୁହିକ ଶୃଙ୍ଖଳା ଏକ ଓ ଅନନ୍ୟ । ମୁଁ ଅନୁଭବ କରୁଛି ଏହା ଏକ ମହନୀୟ କାର୍ଯ୍ୟ । ଶୃଙ୍ଖଳାର ଏହି ସମନ୍ନିତ ବିଭାଗକୁ ସବୁସ୍ତରରେ ଓ କ୍ଷେତ୍ରରେ ସହଯୋଗ କଲେ ଜୀବନ ଓ ରାଷ୍ଟ୍ରର ଆଭିମୁଖ୍ୟ ସମାନ୍ତରାଳ ନହୋଇ ସମନ୍ୱିତ ହେବ । 

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପୂର୍ବକ୍ଷେତ୍ର କାର୍ଯ୍ୟବାହ ଡ. ଗୋପାଳ ପ୍ରସାଦ ମହାପାତ୍ର ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ରୂପେ ଯୋଗଦାନ କରି କହିଲେ ଯେ, ପ୍ରତ୍ୟେକ ରାଷ୍ଟ୍ର ତାର ସ୍ୱାଭିମାନର ଆଧାରରେ ବଂଚି ରହିଛି । ସ୍ୱାଭିମାନବିହୀନ ରାଷ୍ଟ୍ରର କୌଣସି ଅସ୍ତିତ୍ୱ ନଥାଏ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆଜିକୁ ୯୭ ବର୍ଷ ଧରି ଭାରତୀୟ ସ୍ୱାଭିମାନର ଜାଗରଣର କାର୍ଯ୍ୟ କରିଆସୁଛି । କାରଣ ପ୍ରତ୍ୟେକ ରାଷ୍ଟ୍ର  ତାର ‘ସ୍ୱ’ର ଆଧାରରେ ପ୍ରତିଷ୍ଠିତ ହୋଇଥାଏ । ତେଣୁ ଭାରତ ବର୍ଷକୁ ବିଶ୍ୱଗୁରୁ ପଦବୀରେ ଅଧିଷ୍ଠିତ କରାଇବାକୁ ହେଲେ ଭାରତୀୟ ‘ସ୍ୱ’ର ଆଧାରରେ ରାଷ୍ଟ୍ରର ପରମବୈଭବଶାଳୀ ସ୍ୱରପ ନିର୍ମାଣ କରିବାକୁ ହେବ । ତଦ୍ୱାରା ବିଶ୍ୱ କଲ୍ୟାଣର ମାର୍ଗ ପ୍ରଶସ୍ତ ହେବ । ଏଣୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଏକମାତ୍ର କାର୍ଯ୍ୟ ରାଷ୍ଟ୍ରୀୟ ‘ସ୍ୱ’ ର ଜାଗରଣ । ଏହି କାର୍ଯ୍ୟରେ ସମସ୍ତେ ସମ୍ମିଳିତ ହୋଇ ସକ୍ରୀୟ ସହଯୋଗ ପ୍ରଦାନ କରିବାକୁ ଡ. ମହାପାତ୍ର ନିବେଦନ କରିଥିଲେ । 



ସ୍ଥାନୀୟ ଉତ୍କଳ ବିପନ୍ନ ସହାୟତା ସମିତି ପରିସରରେ ଅନୁଷ୍ଠିତ ହେଉଥିବା ଏହି ସଂଘ ଶିକ୍ଷାବର୍ଗର ଶିକ୍ଷାର୍ଥୀମାନଙ୍କୁ ନେଇ ଏକ ଭବ୍ୟ ପଥ ସଂଚଳନ  ଜୁନ ୧ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ସାରା ଓଡିଶାରୁ ୮୦ ଜଣ  ଶିକ୍ଷାର୍ଥୀଙ୍କ ସମେତ ୪୦ ଜଣ ଶିକ୍ଷକ ଓ ପ୍ରବନ୍ଧକ ଏହିଭଳି ୧୨୦ଜଣ ଯୋଗଦେଇଛନ୍ତି । ପ୍ରତ୍ୟେକ ଶିକ୍ଷାର୍ଥୀ ନିଜ ହାତରୁ ୮ଶହ ଟଙ୍କା ଶୁଳ୍କ ପ୍ରଦାନ କରି ୨୦ଦିନ ଧରି ଏହି ଶିବିରରେ ବିଭିନ୍ନ ଶାରୀରିକ ଓ ବୌଦ୍ଧିକ କାର୍ଯ୍ୟକ୍ରମର ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି । ଏହି ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଡାକ୍ତର, ଇଂଜିନିୟର, ଅଧ୍ୟାପକ, ବ୍ୟାଙ୍କ କର୍ମଚାରୀ, ଶିକ୍ଷକ, ସ୍ନାତକ ଓ ସ୍ନାତକୋତର ଛାତ୍ର, ବ୍ୟବସାୟୀ ଓ କୃଷକ ଉପସ୍ଥିତ ଅଛନ୍ତି । ପ୍ରତ୍ୟହ ସକାଳ ୪.୩୦ମି. ସମୟରେ ପ୍ରାତଃ ଜାଗରଣ ପରେ ରାତ୍ରୀ ୧୦ଟା ପର୍ଯ୍ୟନ୍ତ  ସ୍ୱୟଂସେବକମାନେ ବିଭିନ୍ନ ଶାରିରୀକ ଓ ବୌଦ୍ଧିକ କାର୍ଯ୍ୟକ୍ରମର ଅଭ୍ୟାସ କରୁଥିଲେ । 

ସଂଘ ଶିକ୍ଷାବର୍ଗର ସମାରୋପ ଉତ୍ସବରେ ମଂଚାସୀନ ଥିବା ଶିକ୍ଷାବର୍ଗର ସର୍ବାଧିକାରୀ  ମନୋରଂଜନ ସାହୁ ଅଧ୍ୟକ୍ଷତା କରିବା ସହ ବର୍ଗର ବିବରଣୀ ପାଠ କରିଥିଲେ । ବର୍ଗର କାର୍ଯ୍ୟବାହ ବେଲେଶ୍ୱର ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । 











































ଧନ୍ୟବାଦ ଅର୍ପଣ କରିଥିଲେ । 


Comments