1111

ସଂଘ ଶିକ୍ଷାବର୍ଗର ଶିକ୍ଷାର୍ଥୀମାନଙ୍କ ଦ୍ୱାରା ଭବ୍ୟ ପଥ ସଂଚଳନ


ଭୁବନେଶ୍ୱର, ୧/୦୬: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଦ୍ୱିତୀୟ ବର୍ଷ ସଂଘ ଶିକ୍ଷାବର୍ଗ ସ୍ଥାନୀୟ ଉତ୍କଳ ବିପନ୍ନ ସହାୟତା ସମିତି ପରିସରରେ   ଅନୁଷ୍ଠିତ ହୋଉଅଛି । ଏହି ସଂଘ ଶିକ୍ଷାବର୍ଗର ଶିକ୍ଷାର୍ଥୀମାନଙ୍କୁ ନେଇ ଏକ ଭବ୍ୟ ପଥ ସଂଚଳନ  ୧ ଜୁନ ୨୦୨୨, ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି ।  ଉତ୍କଳ ବିପନ୍ନ ସହାୟତା ସମିତି ପରିସରରୁ ଏହି ପଥ ସଂଚଳନ ବାହାରି  ଚକେଇସିଆଣିହାଟ, ମଂଚନାଥ ବିଦ୍ୟାଳୟ, ବ୍ରିଜ ଛକ, ସ୍କିଲ ଡେଭଲପମେଂଟ,  ବ୍ଲୁ ହୁଇଲି ହସ୍‌ପିଟାଲ, ନିତିଦିନ ଖବର କାଗଜ ଛକ, ଶିଳ୍ପାଚଂଳ ବିଦ୍ୟାଳୟ, ଷ୍ଟେସନ ରୋଡ, ସମୟପ୍ରେସ ହୋଇ ପୁଣି ଉତ୍କଳ ବିପନ୍ନ ସହାୟତା ସମିତି ପରିସରରେ ପହଁଚି ଥିଲା । ସ୍ୱୟଂସେବକମାନେ ପୂର୍ଣ୍ଣ ଗଣବେଷରେ ଘୋଷ ବାଦ୍ୟ ବଜାଇ ପଥ ସଂଚଳନରେ ଗଲାବେଳେ ପଥ ମଧ୍ୟରେ ଅନେକ ସ୍ଥାନରେ ମା ଓ ଭଉଣୀମାନେ  ଫୁଲ ଚନ୍ଦନ ଦେଇ ସ୍ୱାଗତ କରିଥିଲେ । 

ମେ ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରଶିକ୍ଷଣ ଶିବିରରେ ସାରା ଓଡିଶାରୁ ୮୦ ଜଣ  ଶିକ୍ଷାର୍ଥୀଙ୍କ ସମେତ ୪୦ ଜଣ ଶିକ୍ଷକ ଓ ପ୍ରବନ୍ଧକ ଏହିଭଳି ୧୨୦ଜଣ ଯୋଗଦେଇଛନ୍ତି । ପ୍ରତ୍ୟେକ ଶିକ୍ଷାର୍ଥୀ ନିଜ ହାତରୁ ୮ଶହ ଟଙ୍କା ଶୁଳ୍କ ପ୍ରଦାନ କରି ୨୦ଦିନ ଧରି ଏହି ଶିବିରରେ ବିଭିନ୍ନ ଶାରୀରିକ ଓ ବୌଦ୍ଧିକ କାର୍ଯ୍ୟକ୍ରମର ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି । ଏହି ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଡାକ୍ତର, ଇଂଜିନିୟର, ଅଧ୍ୟାପକ, ବ୍ୟାଙ୍କ କର୍ମଚାରୀ, ଶିକ୍ଷକ, ସ୍ନାତକ ଓ ସ୍ନାତକୋତର ଛାତ୍ର, ବ୍ୟବସାୟୀ ଓ କୃଷକ ଉପସ୍ଥିତ ଅଛନ୍ତି । ପ୍ରତ୍ୟହ ସକାଳ ୪.୩୦ମି. ସମୟରେ ପ୍ରାତଃ ଜାଗରଣ ପରେ ରାତ୍ରୀ ୧୦ଟା ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ୱୟଂସେବକମାନେ ବିଭିନ୍ନ ଶାରିରୀକ ଓ ବୌଦ୍ଧିକ କାର୍ଯ୍ୟକ୍ରମର ଅଭ୍ୟାସ କରୁଛନ୍ତି । ଜୁନ ୪ ତାରିଖ  ଦିନ ଅପରାହ୍ନ ୫.୧୫ ମିନିଟ ସମୟରେ  ଏହି ବର୍ଗର ସମାରୋପ କାର୍ଯ୍ୟକ୍ରମ  ଅନୁଷ୍ଠିତ ହେବ ।  ଏଥିରେ ଶିକ୍ଷାର୍ଥୀମାନେ ପ୍ରଶିକ୍ଷଣ ନେଇଥିବା ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରିବେ । 






-----------------------------------------------------------















 ବରିଷ୍ଠ ସ୍ତମ୍ଭଲେଖକ ଆର୍ତ ମିଶ୍ର ପାଇଲେ ଅଷ୍ଟାଦଶ ନାରଦ ସମ୍ମାନ



ଭୁବନେଶ୍ୱର,୨୦/୫ ଅର୍ଦ୍ଧ ଶତାବ୍ଦୀର ସାମ୍ବାଦିକତା ଓ ସ୍ତମ୍ଭ ରଚନା ସମୟ  ମଧ୍ୟରେ ତିନି ଦଶନ୍ଧି ଇଂରାଜୀ ଭାଷାରେ ଏବଂ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଓଡିଆ ଭାଷାରେ ସାଧନା ଜାରି ରଖିଥିବା, ଯାହାଙ୍କର ରୋକ୍ ଠୋକ୍ ଶବ୍ଦ ଓ ବେସାଲିସ ଆଭିମୁଖ୍ୟ ତାଙ୍କୁ ଜଣେ ପ୍ରଚଣ୍ଡ ରାଷ୍ଟ୍ରବାଦୀ ସ୍ତମ୍ଭକାର ଭାବେ ପରିଚିତ କରାଇଛି, ସେଭଳି ଜଣେ ଦେଶପ୍ରେମୀ ସ୍ତମ୍ଭକାର ଶ୍ରୀ ଆର୍ତ ମିଶ୍ରଙ୍କୁ ତାଙ୍କର ଜୀବନବ୍ୟାପୀ ସାଧନା, ଅଧ୍ୟବସାୟ ଓ ସାମ୍ବାଦିକତା କ୍ଷେତ୍ରକୁ ଅବଦାନ ନିମନ୍ତେ ବିଶ୍ୱ ସମ୍ବାଦ କେନ୍ଦ୍ର, ଓଡିଶା ତରଫରୁ  ୨୦୨୨ ବର୍ଷ  ପାଇଁ ମର୍ଯ୍ୟାଦାପୂର୍ଣ୍ଣ ନାରଦ  ସମ୍ମାନରେ ବିଭୂଷିତ କରାଯାଇଛି ।



ବିଶ୍ୱ ସମ୍ବାଦ କେନ୍ଦ୍ର, ଓଡିଶା ତରଫରୁ ବରିଷ୍ଠ ସ୍ତମ୍ଭଲେଖକ ଅଧ୍ୟାପକ  ନିରଞ୍ଜନ ପାଢୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ‘ଅଷ୍ଟାଦଶ ନାରଦ ସମ୍ମାନ’  ଉତ୍ସବ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ ଓଡିଶାର ଅବସରପ୍ରାପ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ବିଶିଷ୍ଟ ସାହିତ୍ୟିକ ଡ. ଶ୍ରୀଯୁକ୍ତ ରବିନାରାୟଣ ସେନାପତି ମୁଖ୍ୟ ଅତିଥି ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡିଶା ପୂର୍ବ ପ୍ରାନ୍ତର ସମ୍ପର୍କ ପ୍ରମୁଖ  ଆଡଭୋକେଟ ଶ୍ରୀ ସର୍ବେଶ୍ୱର ବେହେରା ମୁଖ୍ୟବକ୍ତା ରୂପେ ଯୋଗଦେଇଥିଲେ  । 



ଶ୍ରୀ ମିଶ୍ରଙ୍କୁ ମାନପତ୍ର, ଉତରୀୟ, ନାରିକେଳ ଓ ଦଶ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା । ଶ୍ରୀ ସାଇ ପ୍ରସାଦ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାରଦ ଜୟନ୍ତୀ ସମାରୋହ ସମିତିର ବରିଷ୍ଠ ସଦସ୍ୟ ଶ୍ରୀ ସୁମନ୍ତ କୁମାର ପଣ୍ଡା ବାର୍ଷିକ ବିବରଣୀ ପ୍ରଦାନ  କରିଥିଲେ । ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର, ୟୁନିଟ-୮, ଭୁବନେଶ୍ୱରର ଶିଶୁମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । 

ବିଶ୍ୱ ସମ୍ବାଦ କେନ୍ଦ୍ର,ଓଡିଶା ତରଫରୁ ଗଣମାଧ୍ୟମରେ ସ୍ୱାଧିନତା ସମ୍ବନ୍ଧରେ ସଚେତନତା ସୃଷ୍ଟି କରୁଥିବା, ଜନସାଧାରଣଙ୍କୁ ନିରପେକ୍ଷ,ମୁକ୍ତ ଓ ଦାୟିତ୍ୱ ସମ୍ପନ୍ନ ସମ୍ବାଦ  ପରିବେଷଣ ସହ ରାଷ୍ଟ୍ରୀୟ ବିଚାରଧାରାର ପ୍ରସାର ପାଇଁ ଲେଖନୀ ଚାଳନା କରୁଥିବା ଗଣମାଧ୍ୟମର ବ୍ୟକ୍ତିତ୍ୱଙ୍କୁ ପ୍ରତି ବର୍ଷ ନାରଦ ଜୟନ୍ତୀରେ ରାଜ୍ୟ ସ୍ତରୀୟ  ନାରଦ ସମ୍ମାନ ପ୍ରଦାନ କରାଯାଇଥାଏ । ୨୦ବର୍ଷ ଧରି ବିଶ୍ୱ ସମ୍ବାଦ କେନ୍ଦ୍ର ତରଫରୁ ଆଦ୍ୟ ସାମ୍ବାଦିକ ଦେବର୍ଷି ନାରଦଙ୍କ ଜୟନ୍ତୀ ପାଳନ କରାଯିବା ସହ ରାଜ୍ୟର ଜଣେ ବରିଷ୍ଠ ତଥା ବିଶିଷ୍ଟ ସାମ୍ବାଦିକଙ୍କୁ ରାଜ୍ୟସ୍ତରୀୟ ନାରଦ ସମ୍ମାନ ପ୍ରଦାନ କରାଯାଉଛି । ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ବରିଷ୍ଠ ସାମ୍ବାଦିକ ଶ୍ରୀ ଅରୁଣ କୁମାର ପଣ୍ଡା, ଶ୍ରୀ ଭଗବାନ ନାୟକବର୍ମା,ଶ୍ରୀ ରାଜାରାମ ଶତପଥି,ଶ୍ରୀ ଗୋପାଳକୃଷ୍ଣ ମହାପାତ୍ର,ସ୍ୱର୍ଗତ ଶ୍ରୀ ଗୋପାଳ ମିଶ୍ର, ଶ୍ରୀ ସୁଧିର କୁମାର ଦାଶ, ସ୍ୱର୍ଗତ ଶ୍ରୀ ବରେନ୍ଦ୍ରକୃଷ୍ଣ ଧଳ,ଶ୍ରୀ ଭାଗିରଥି ମହାସୁଆର,ଶ୍ରୀ ଭାସ୍କର ପରିଚ୍ଛା ,ଶ୍ରୀ ପ୍ରଭୂ କଲ୍ୟାଣ ମହାପାତ୍ର , ଶ୍ରୀ ପ୍ରତାପ ମହାନ୍ତି, ଶ୍ରୀ ଜଗବନ୍ଧୁ ମିଶ୍ର, ଶ୍ରୀ ସିଦ୍ଧାର୍ଥ କାନୁନ୍‌ଗୋ, ଶ୍ରୀ ଶିବନାରାୟଣ ସିଂହ, ଶ୍ରୀ ତପନ ମିଶ୍ର ଓ ଶ୍ରୀ ସୁବ୍ରତ ଦାଶ ପ୍ରମୁଖ ଏହି ନାରଦ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।


Comments